ଭାଷା ଓ ସାହିତ୍ୟ

ଓଡିଶାର ଉଚ୍ଚଶିକ୍ଷାରେ ସଙ୍କଟ

<ସୌମେନ୍ଦ୍ର ଜେନା>
ସଂପ୍ରତି କୁଳପତିମାନଙ୍କ ସମ୍ମିଳନୀରେ ଅଧ୍ୟାପକ ଅଭାବ ନେଇ ଉଦ୍‍ବେଗ ପ୍ରକାଶ ପାଇଥିଲା। ବିଶ୍ୱବିଦ୍ୟାଳୟଗୁଡିକରେ ଖାଲିଥିବା ପଦଗୁଡିକର ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି। ଚଳିତ ମାସ ୨୦ ସୁଦ୍ଧା କନିଷ୍ଠ ସହାୟକଙ୍କ ଆବଶ୍ୟକତାର ତାଲିକା ଦାଖଲ କରିବାକୁ କୁହାଯାଇଛି। ତିନିମାସ ମଧ୍ୟରେ ଷ୍ଟେଟ ସିଲେକସନ୍‍ ବୋର୍ଡ ଜରିଆରେ ଏହିସବୁ ସହାୟକ ପଦ ପୂରଣ କରାଯିବ। ଏହାଛଡା ଆଗାମୀ ଦିନରେ ରାଜ୍ୟର ୧୮ଟି ବ୍ଲକରେ ଇ-ପାଠ୍ୟକ୍ରମରେ +୩ କଲେଜ ଖୋଲିବ। ରୁସା ଯୋଜନାରେ ହୋଇଥିବା ଖର୍ଚ୍ଚର ହିସାବ ଡିସେମ୍ବର ୩୧ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି କରିବାକୁ ଜୋର୍‍ ଦେବାକୁ ଏହି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। ନାକ୍‍ ପ୍ରଶିକ୍ଷକଙ୍କ ମାଧ୍ୟମରେ ପ୍ରଶିକ୍ଷଣ ଦେଇ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଦୃଷ୍ଟିଦେବା ଠିକ୍‍ ହେବ ବୋଲି ସମସ୍ତେ ଏକମତ ହୋଇଥିଲେ।
ସେମିତି ନିକଟରେ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କର ରାଜ୍ୟସ୍ତରୀୟ ସମ୍ମିଳନୀରେ ଉଚ୍ଚଶିକ୍ଷା କ୍ଷେତ୍ରରେ କେତେକ ସଂସ୍କାରମୂଳକ ପଦକ୍ଷେପ ନିଆଯିବାକୁ ସ୍ଥିର ହୋଇଥିଲା। ରାଜ୍ୟର ୭୫ଭାଗ ମହାବିଦ୍ୟାଳୟର ଅଧ୍ୟକ୍ଷ ଏଥିରେ ଅଂଶଗ୍ରହଣ କରି ସିଧାସଳଖ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ସୁବିଧା ଅସୁବିଧା ନେଇ ଆଲୋଚନା କରିଥିଲେ। କଲେଜସ୍ତରରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନକୁ କଡାକଡି ଭାବେ କିପରି ଅନୁପାଳନ ହେବ ସେଥିପାଇଁ ଆଲୋଚନା ହୋଇଥିଲା। ଛାତ୍ରସଂସଦରେ ପ୍ରାର୍ଥୀ ହେବାକୁୁ ଯେପରି ପୂର୍ବରୁ ୭୫ପ୍ରତିଶତ ଉପସ୍ଥାନ ଆବଶ୍ୟକ ହେଉଥିଲା ଏବେ ସେମିତି ୭୫ ପ୍ରତିଶତ ଉପସ୍ଥାନ ବିନା କେହି ପରୀକ୍ଷା ଦେଇପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। କମ୍‍ ଉପସ୍ଥାନ ଥିବା ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ଦେବା କ୍ଷେତ୍ରରେ ଯେପରି ପୂର୍ବରୁ କୋହଳ ମନୋଭାବ ପୋଷଣ କରାଯାଉଥିଲା ଏବେ ସେମିତି ହେବନାହିଁ। ଅଭିଭାବକମାନଙ୍କୁ ଏ ନେଇ କର୍ତ୍ତୃପକ୍ଷ ସମୟକ୍ରମେ ସୂଚନା ପ୍ରଦାନ କରିବେ। ଅଧ୍ୟକ୍ଷଙ୍କ ସହ ଅଭିଭାବକମାନଙ୍କର ଯେପରି ଉତ୍ତମ ସଂପର୍କ ରହେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସ୍ଥିର ହୋଇଥିଲା। ବିଭାଗର ଛାତ୍ରଛାତ୍ରୀମାନଙ୍କ ଦାୟିତ୍ୱ ନିର୍ଦ୍ଦିଷ୍ଟ ଅଧ୍ୟାପକମାନଙ୍କ ଉପରେ ରହିବ ଏବଂ ସେମାନେ ସେହି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ବିକାଶ ନେଇ ସମୀକ୍ଷା କରିବେ। ପ୍ରତ୍ୟେକ ଅଧ୍ୟାପକ ସାତଘଣ୍ଟା ଯେମିତି ହେଲେ ମହାବିଦ୍ୟାଳୟରେ ରହିବେ ବୋଲି ସ୍ଥିର ହୋଇଛି। ସେଥିପାଇଁ ବାୟୋମେଟ୍ରିକ୍‍ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଅଧ୍ୟକ୍ଷମାନେ ଏହାକୁ ଖୁବ୍‍ ଶିଘ୍ର କଲେଜରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନଗୁଡିକରେ ନିଜସ୍ୱ ଜମିରେ ଶିକ୍ଷାନୁଷ୍ଠାନଗୃହ ନିର୍ମାଣ, ଛାତ୍ରଛାତ୍ରୀ ନିବାସ, ପାଠାଗାର, ପରୀକ୍ଷାଗାର, କ୍ରୀଡାଙ୍ଗନ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା। ରୁସା ଓ ବିଶ୍ୱ ବ୍ୟାଙ୍କର ଅର୍ଥ ପାଇଥିବା ଶିକ୍ଷାନୁଷ୍ଠାନଗୁଡିକ ଅର୍ଥ ଉପଯୋଗ ସଂକ୍ରାନ୍ତୀୟ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯିବାକୁ କୁହାଯାଇଛି। ଯେଉଁ ସବୁ କଲେଜଗୁଡିକର ଜମିଜନିତ ସମସ୍ୟା ରହିଛି ସେ ନେଇ ସରକାର ସହଯୋଗ କରିବେ ବୋଲି କହିଛନ୍ତି। ସମୟକ୍ରମେ ଏବଂ ସ୍ଥିତି ଅନୁଯାୟୀ କଲେଜରୁ +୨ ଏବଂ +୩ ଶ୍ରେଣୀକୁ ପୃଥକ କରାଯିବାକୁ ଜୋର ଦିଆଯିବ। ନାକ୍‍ ମାନ୍ୟତା ପାଇପାରୁନଥିବା କଲେଜଗୁଡିକୁ ସରକାର ସହଯୋଗ କରିବେ। ଆଗାମୀ ଦିନରେ କଲେଜଗୁଡିକରେ ଆଇଟି ଏବଂ ଇଂରାଜୀ ଭାଷା ଶିକ୍ଷାରେ କାର୍ଯ୍ୟକ୍ରମ ଚାଲୁ କରିବା ପାଇଁ ଆଲୋଚନା ହୋଇଥିଲା। ଅଧ୍ୟାପକମାନଙ୍କ ବଦଳି ପାଇଁ ଆବେଦନ ନିମନ୍ତେ ଏକ ଗାଇଡଲାଇନ୍‍ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ଆସିବ। ତେଣୁ ଅଧ୍ୟାପକମାନେ ନିଜ ଇଛାନୁସାରେ ଯେପରି ଗୋଟିଏ ମହାବିଦ୍ୟାଳୟରୁ ଅନ୍ୟ ମହାବିଦ୍ୟାଳୟକୁ ବଦଳି ହୋଇ ଯିବାକୁ ଚାହୁଁଥିଲେ ସେମିତି ହେବନାହିଁ ବରଂ ଅଧିକ ଅଧ୍ୟାପକମାନଙ୍କୁ ଅପହଞ୍ଚ ଅଞ୍ଚଳଗୁଡିକରେ ଥିବା ଶିକ୍ଷାନୁଷ୍ଠାନଗୁଡିକୁ ଯିବାପାଇଁ କୁହାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଆଗାମୀ ଦିନମାନଙ୍କରେ କଲେଜଗୁଡିକରେ ଖାଲିଥିବା ଅଧ୍ୟାପକଙ୍କ ସ୍ଥାନ ଖୁବ ଶୀଘ୍ର ପୂରଣ କରିବାକୁ ଉଦ୍ୟମ ଜାରି ରହିଥିବା ଜଣାପଡିଛି। ତେବେ ଏହି ସବୁ ସଂସ୍କାର ପଦକ୍ଷେପ କେତେଦୂର ତଳସ୍ତରରେ କାର୍ଯ୍ୟକାରୀ ହେବ ସେ ନେଇ ସମସ୍ତଙ୍କ ମନରେ ସନ୍ଦେହ ରହିଛି। ରାଜ୍ୟ ସରକାର ଯୋଗ୍ୟ ଅଧ୍ୟାପକମାନଙ୍କର ଚାକିରୀ କ୍ଷେତ୍ରରେ ପଦୋନ୍ନତି ପରି ସୁବିଧା ଯେପରି ଦେବାକଥା ତାହା ଦେଇପାରୁ ନଥିବା ଯୋଗୁ ଅନେକ ଅଧ୍ୟାପକ ସେଥିରୁ ବଞ୍ଚିତ ହେଉଛନ୍ତି। ଗୁଣାତ୍ମକ ଶିକ୍ଷାଦାନ ଦୃଷ୍ଟିରୁ ଅଧିକ ଯୋଗ୍ୟତା ସଂପନ୍ନ ଅଧ୍ୟାପକମାନେ ଅଧିକ ସୁବିଧା ପାଇବା କଥା। ଅନେକଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଥିଲେ ମଧ୍ୟ ସେମାନେ ବିଚାରକୁ ଆସିପାରୁନାହାନ୍ତି। ସରକାର ଏ ନେଇ ଅଧିକ ସକ୍ରୀୟ ରହିବା ସହ ଭଲ ଅଧ୍ୟାପକଙ୍କ ଯୋଗ୍ୟତା ବିକାଶ ପାଇଁ ପ୍ରୋତ୍ସାହନ ଦେବା ଉଚିତ୍‍। ବେସରକାରୀ କଲେଜଗୁଡିକ ଯେପରି ସରକାରୀ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀଙ୍କୁ ନିଜର ଶିକ୍ଷାନୁଷ୍ଠାନକୁ ନେବାଲାଗି ଛଞ୍ଚାଣ ପରି ପ୍ରୟାସ କରୁଛନ୍ତି ତା ପ୍ରତି ମଧ୍ୟ ନଜର ରହିବା ଉଚିତ୍‍। ଉଚ୍ଚଶିକ୍ଷାକୁ ପଣ୍ୟ ଦ୍ରବ୍ୟ କରିବାକୁ ଚାହୁଁଥିବା ଲୋକ ଏବଂ କୋଚିଂ ସେଣ୍ଟରମାନଙ୍କ ଠାରୁ ରକ୍ଷାକରିବା ଏବେ ଏକ ବଡ ଚ୍ୟାଲେଞ୍ଜ ହୋଇଛି। ଅତୀତରେ ବେସରକାରୀ କୋଚିଂ ସେଣ୍ଟରଗୁଡିକ ପିଲାଙ୍କୁ ଆକର୍ଷିତ କରିବାକୁ ପ୍ରଶ୍ନପତ୍ର ଚୋରି, ପରୀକ୍ଷାରେ ଜାଲିଆତି, ମୂଲ୍ୟାଙ୍କନ କ୍ଷେତ୍ରରେ ହସ୍ତକ୍ଷେପ କରୁଥିବା ପରି ଅନେକ ଅଭିଯୋଗ ଆସିଛି। ଏପରିକି ସେମାନଙ୍କ ପ୍ରରୋଚନାରେ +୨ ଶ୍ରେଣୀର ପରୀକ୍ଷା ଫଳାଫଳ ମଧ୍ୟ ଏକଦା ପ୍ରଭାବିତ ହୋଇଥିବା ନେଇ ଅଭିଯୋଗ ଆସିଥିଲା। କାରଣ ରାଜ୍ୟର ଅନେକ ପ୍ରତିଷ୍ଠିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ଥାନରେ ଅକସ୍ମାତ ଏକ ବେସରକାରୀ +୨ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସେ ବର୍ଷ ସଫଳତା ତାଲିକାର ଅନେକ ଶୀର୍ଷସ୍ଥାନଗୁଡିକ ଦଖଲ କରି ନେଇଥିଲେ। ପରୀକ୍ଷା ଫଳାଫଳକୁ ନେଇ ଗଣମାଧ୍ୟମରେ ସନ୍ଦେହ ପ୍ରକାଶ ପାଇବାରୁ ତଦନ୍ତ କରାଯିବାକୁ କୁହାଯାଇଥିଲା। ପରେ ପରୀକ୍ଷା କେନ୍ଦ୍ରର ଅଧିକାରୀଙ୍କୁ ପ୍ରଭାବିତ କରି କେତେକ କଲେଜ କର୍ତ୍ତୃପକ୍ଷ ଫଳାଫଳକୁ ବଦଳାଇବା ଲାଗି ପ୍ରୟାସ କରିଥିବା ଜଣାପଡିଥିଲା। ଏବେ ଅଧ୍ୟାପକମାନେ କଲେଜରେ ସାତ ଘଣ୍ଟା ପାଇଁ ବାଧ୍ୟତାମୂଳକ ଭାବେ ରହିବା ସହ ବାଇଓମେଟ୍ରିକ ପଦ୍ଧତିରେ ଉପସ୍ଥାନକୁ ଗୁରୁତ୍ୱ ଦିଆଯାଉଛି। କଲେଜଗୁଡିକର ଭିତ୍ତିଭୂମିକୁ ପରୀକ୍ଷା କରିବା ପାଇଁ ମନ୍ତ୍ରୀ ଆକସ୍ମିକ କଲେଜ ଗସ୍ତ କରୁଛନ୍ତି। ବିଭାଗୀୟ ଉଚ୍ଚ ଅଧିକାରୀମାନଙ୍କୁ ତିରିଶ ଜିଲ୍ଲାର ଖବର ରଖିବାପାଇଁ ଦାୟିତ୍ୱ ବଣ୍ଟାଯାଇସାରିଛି। ଅଥଚ ଏତେ ସବୁ ବ୍ୟବସ୍ଥା ସତ୍ତେ୍ୱ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ଅଧ୍ୟାପକମାନଙ୍କ ସ୍ଥାନ ଖାଲିପଡିଛି। କି ସରକାରୀ, କି ବେସରକାରୀ ସବୁ କଲେଜରେ ଅଧ୍ୟାପକଙ୍କ ସ୍ଥାନ ଖାଲିପଡିଛି। ଏଥିରେ ଶ୍ରେଣୀରେ ପାଠପଢା ଠିକ୍‍ ଭାବେ ହେବା ସମ୍ଭବପର ନୁହେଁ। ଭିତ୍ତିଭୂମି କହିଲେ ଉଚ୍ଚଶିକ୍ଷାର ଉଚ୍ଚଉଚ୍ଚ କୋଠାଘରକୁ ବୁଝାଏ ନାହିଁ ବରଂ ଉଚ୍ଚମାନର ଶିକ୍ଷାଦାନ କରିପାରୁଥିବା ଅଧ୍ୟାପକ, ଅଧ୍ୟାପିକା ଏଥିପାଇଁ ଆବଶ୍ୟକ। କିନ୍ତୁ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ୪୦୭୪ ଅଧ୍ୟାପକ ଖାଲି ରହିବା ଆଦୌ÷ ସୁଖକର ଖବର ନୁହେଁ। ଏନେଇ ବିଧାନସଭାର ସ୍ଥାୟୀ କମିଟି ପୂର୍ବରୁ ଯେଉଁ ସୁପାରିସ କରିଥିଲେ ତାହା ଆଜିଯାଏ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନାହିଁ। ଯାହା ଜଣାପଡିଛି ରାଜ୍ୟର ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟଗୁଡିକରେ ଥିବା ମୋଟ୧୪୨୪ଟି ମଞ୍ଜୁରୀ ପ୍ରାପ୍ତ ଅଧ୍ୟାପକ ପଦରୁ ଏବେ ୮୩୮ଟି ଖାଲି ପଡିଛି। ଅର୍ଥାତ୍‍ ଅଧାରୁ ଅଧିକ ପଦ ଏବେ ଫାଙ୍କା। ସେହିପରି ଅଣଶିକ୍ଷକ ପଦବୀ ୨୭୫୯ଟି ଥିଲାବେଳେ ୧୫୬୬ଟି ଖାଲିପଡିଛି।
ସେମିତି ସରକାରୀ ମହାବିଦ୍ୟାଳୟଗୁଡିକରେ ଥିବା ମଞ୍ଜୁରୀପ୍ରାପ୍ତ ୨୩୦୬ ପଦରୁ ୧୧୫୬ଟି ଖାଲିପଡିଛି। ଏଠାରେ ମଧ୍ୟ ସମାନ ଅବସ୍ଥା, ପାଖାପାଖି ପଚାଶ ପ୍ରତିଶତ ପଦ ଖାଲି ପଡିଛି। ସେମିତି ଅଣଶିକ୍ଷକ ପଦ ୨୬୮୨ଟି ଥିଲାବେଳେ ୧୫୬୨ଟି ଖାଲିପଡିଛି। ବେସରକାରୀ କଲେଜଗୁଡିକରେ ଥିବା ମଞ୍ଜୁରୀ ପ୍ରାପ୍ତ ୬୪୯୯ ଶିକ୍ଷକ ପଦରୁ ୨୦୮୦ଟି ଏବଂ ୫୪୭ଟି ଅଣଶିକ୍ଷକ ପଦଖାଲି ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀ ପ୍ରାପ୍ତ ୨୫୭ଟି ପଦରୁ ୧୨୦, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୫୩ରୁ ୭୨, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୧୫୩ରୁ ୫୨,ରେଭେନ୍‍ସାରେ ୨୬୭ରୁ ୧୭୯, ଖଲ୍ଲିକୋଟରେ ୪୨ରୁ ୧୨, ରମାଦେବୀରେ ୧୩୮ରୁ ୧୦୫, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ୧୧୫ରୁ ୭୪, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୧୪୪ରୁ ୧୨୮, ଫକୀରମୋହନ ବିଶ୍ୱବିଦ୍ୟାଳୟରେ ୧୧୨ରୁ ୭୨, ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୩୮ରୁ ୨୪ଟି ଅଧ୍ୟାପକ ପଦ ଖାଲି ପଡିଛି। ସେମିତି ସରକାରୀ କଲେଜଗୁଡିକରେ ଇଂରାଜୀ ଅଧ୍ୟାପକ ୨୨୩ରୁ ୧୧୦ ଖାଲି ପଡିଥିବାବେଳେ ଓଡିଆରେ ୧୮୨ଟିରୁ ୭୪ଟି ଖାଲିପଡିଛି। ରସାୟନ ବିଜ୍ଞାନରେ ୧୭୯ରୁ ୧୦୧, ବାଣିଜ୍ୟରେ ୧୮୪ରୁ ୧୦୩, ପଦାର୍ଥ ବିଜ୍ଞାନରେ ୧୬୨ରୁ ୮୭, ଗଣିତରେ ୧୧୫ରୁ ୬୪ଟି ଅଧ୍ୟାପକ ପଦ ଖାଲି ରହିଛି। ବିଭିନ୍ନ କଲେଜର ପରିବେଶ ବିଜ୍ଞାନ, ସଙ୍ଗୀତ, ଜୀବବିଜ୍ଞାନ ଓ ବଙ୍ଗଳାରେ ୪ଟି ବିଷୟରେ ଜଣେ ହେଲେ ଅଧ୍ୟାପକ ନାହାନ୍ତି। ସରକାରୀ କଲେଜ ପରି ବେସରକାରୀ କଲେଜ ଗୁଡିକର ସ୍ଥିତି ଭଲନାହିଁ। ବେସରକାରୀ ସାହାଯ୍ୟପ୍ରାପ୍ତ ମହାବିଦ୍ୟାଳୟରେ ଓଡିଆରେ ୯୩୪ଟି ପଦରୁ ୪୨୮ଟି ପଦ ଖାଲି ପଡିଛି। ଇଂରାଜୀରେ ୮୫୧ରୁ ୨୩୦, ଇତିହାସରେ ୭୪୨ରୁ ୨୯୧, ରାଜନୀତି ବିଜ୍ଞାନରେ ୫୭୫ରୁ ୨୨୦ଟି ପଦ ଏବେ ଖାଲିପଡିଛି। ରାଜ୍ୟ ସରକାର ବିଗତ ଦିନମାନଙ୍କରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧିକୁ ସ୍ୱୀକୃତି ଦେଇଥିଲେ ହେଁ ଆବଶ୍ୟକ ଅର୍ଥ ପ୍ରଦାନ ସମ୍ଭବ ହେଉନାହିଁ। କେବଳ ଘୋଷଣା ମଧ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟର ସଂଖ୍ୟା ବୃଦ୍ଧି ଥିଲାବେଳେ ଗୁଣାତ୍ମକ ଶିକ୍ଷାଦାନ ଏମିତି ସଙ୍କଟଜନକ ସ୍ଥିତିରେ ଆଦୌ÷ ସମ୍ଭବପର ନୁହେଁ ବୋଲି ଯେ କେହି ସ୍ୱୀକାର କରିବ। ଉଚ୍ଚଶିକ୍ଷାର ଶିକ୍ଷାନୁଷ୍ଠାନଗୁଡିକରେ ଏମିତି ଅଧ୍ୟାପକ ମରୁଡି ଭିତରେ ପିଲାମାନେ ଶିକ୍ଷାର ଭଲ ଫସଲ କାଟିପାରିବେ ବୋଲି ଆମର ଅନ୍ତତଃ ଭରସା ହେଉନାହିଁ। ସରକାର ଏହି ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରିବା ଆବଶ୍ୟକ।

Show More

Related Articles

Back to top button