ଭାଷା ଓ ସାହିତ୍ୟ

ବିକଶିତ କେନ୍ଦ୍ରାପଡ଼ାର ଗଠନର ବେଳ

< ଶରତ କୁମାର ରାଉତ >

ସମୁଦ୍ର, ନଦୀ, ନାଳ, ବନାନୀ ଘେରା ଚିର ଅବହେଳିତ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ବିବିଧ ସମସ୍ୟାର ଗର୍ଭ ମଧ୍ୟରେ ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟଜଳ,ସଞ୍ଚାର,ଦାରିଦ୍ର୍ୟ, ବେକାରୀ ଆଦି ମୌଳିକ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ୧୯୯୯ ର ପ୍ରଳୟଙ୍କରୀ ବାତ୍ୟା ଜିଲ୍ଲାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏପରିକି କେବିକେ ବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲା ମଧ୍ୟରେ ଏହି ଜିଲ୍ଲା ଲୋକଙ୍କର ମୌଳିକ ସମସ୍ୟା ସବୁଠୁ ଆଗରେ ରହିଛି। ବଙ୍ଗୋପସାଗର କୂଳବର୍ତ୍ତୀ ଏହି ଜିଲ୍ଲାର ଭୌଗୋଳିକ ଆୟତନ ୨୬୪୪ ବର୍ଗ କିଲୋମିଟର ଓ ଏହାର ଉପକୂଳବର୍ତ୍ତୀ ସୀମା ୪୮ କିଲୋମିଟର। ଏହି ଜିଲ୍ଲାର ଲୋକସଂଖ୍ୟା ୧୪ଲକ୍ଷ ୪୧ ହଜାର। ଏହାର ଜଙ୍ଗଲ ପରିମାଣ ୧୯୯୩୯ ବର୍ଗ କିଲୋମିଟର ଓ ଚାଷ ଉପଯୋଗୀ ଜମି ପରିମାଣ ୧ଲକ୍ଷ ୮୨ ହଜାର ୧୮୪ହେକ୍ଟର। ୨୪୯ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୫୪୯ ଟି ଗ୍ରାମ ରହିଛି ଏହି ଜିଲ୍ଲାରେ। ୧୯୯୯ ମହାବାତ୍ୟାରେ କ୍ଷତିଗ୍ରସ୍ତ ତାଲିକାରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ଧ୍ୱଂସ ସ୍ତୂପରେ ପରିଣତ ହୋଇଥିବା ଜଗତସିଂହପୁର ଜିଲ୍ଲାର ପଛକୁ ରହିଥିଲା। ଶିଳ୍ପବିହୀନ ଏହି ଜିଲ୍ଲା ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ସ୍ୱାଧୀନତା ପରଠାରୁ ସଂଘର୍ଷ କରିଆସୁଥିଲେ ହେଁ ସମୟ ଓ ପରିସ୍ଥିତି ଜିଲ୍ଲାବାସୀଙ୍କୁ ଭୋକ ଉପାସରେ ରହି ଜିଇଁବାକୁ ବାଧ୍ୟ କରିଚାଲିଛି।
ଏଠାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବହୁ ଅଧିକ ଥିଲାବେଳେ ନିଯୁକ୍ତି ହାର ସବୁଠୁ କମ୍‍ ରହିଛି। ଦାରିଦ୍ର୍ୟ ଦୂରୀକରଣ ଯୋଜନା, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍‍ସେବା, ସଞ୍ଚାର ସେବା, ଗମନାଗମନ ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି। ଏଠାରେ ଥିବା ବିଶ୍ୱ ବିଖ୍ୟାତ କଇଁଛ ଓ କୂମ୍ଭୀର ପ୍ରଜନନ କେନ୍ଦ୍ର ତଥା ଭିତରକନିକା ପ୍ରାଣୀ ଅଭୟାରଣ୍ୟ ଓ ସାମୁଦ୍ରିକ ଅଭୟାରଣ୍ୟର ଆବଶ୍ୟକୀୟ ଉନ୍ନତି ହୋଇ ପାରୁନାହିଁ। ପ୍ରାକୃତିକ ଦୃଶ୍ୟ ରାଜିରେ ଭରା ଅଭୟାରଣ୍ୟ, କମନୀୟ ସମୁଦ୍ର ବେଳାଭୂମି ଓ ସମୁଦ୍ର ତଟ୍ଟରେ ଯେଭଳି ପ୍ରଚୁର ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଛି, ତା’ର ଉପଯୁକ୍ତ ଉପଯୋଗ ହେଲେ ଜିଲ୍ଲାର ଆର୍ଥିକ ପ୍ରଗତି ସମ୍ଭବ ହୋଇ ପାରନ୍ତା।
ଜିଲ୍ଲାରେ ସରକାରୀ ଉନ୍ନୟନ ଯୋଜନା କାର୍ଯ୍ୟକାରୀତା ଉପରେ ବ୍ୟାପକ ସମୀକ୍ଷା ହେଉନଥିବାରୁ ପ୍ରକୃତ ହିତାଧିକାରୀ ମାନେ ଉପକୃତ ହୋଇ ପାରୁ ନାହଁନ୍ତି। ଯେଉଁଥିପାଇଁ ଜିଲ୍ଲାର ପ୍ରାୟ ୧ଲକ୍ଷ ୨୦ ହଜାର ବେକାର ଶିକ୍ଷିତ ଯୁବକ/ଯୁବତୀ ଦେଶ ବିଦେଶର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ୧୯୬୭ ଓ ୧୯୭୨ ସାମୁଦ୍ରିକ ମହାପ୍ଲାବନରେ ରାଜନଗର,ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇର ଅନେକ ଧନ-ଜୀବନ ନଷ୍ଟ ହୋଇଥିବା ବେଳେ ୧୯୮୨ ସାମୁଦ୍ରିକ ଜୁଆରରେ ଉପକୂଳବାସୀଙ୍କର ପ୍ରଭୃତ କ୍ଷୟକ୍ଷତି ହୋଇଥିଲା। ଉପକୂଳବାସୀଙ୍କର ସୁରକ୍ଷା ପାଇଁ ବିଜୁ ପଟ୍ଟନାୟକ ୧୯୭୨ ଏପ୍ରିଲ୍‍ ୪ରେ ଧାମରା ଠାରୁ ପାରାଦୀପ ପର୍ଯ୍ୟନ୍ତ ବରୁଣେଇ ଦେଇ ବିଶାଳ ପଥର ପନ୍ଧ ନିର୍ମାଣ କରାଇବାକୁ ଘୋଷଣା କରିଥିଲେ। ମାତ୍ର ଏଯାଏ ତାହା ସମ୍ଭବ ହୋଇପାରିନାହିଁ। ପ୍ରତି ମୁହୂର୍ତ୍ତରେ ଧ୍ୱଂସ ପାଇ ଚାଲିଛି ଉପକୂଳ ଝାଉଁଜଙ୍ଗଲ। ୧୯୮୦ ରେ ବରୁଣେଇ ନିକଟସ୍ଥ ଜଗରିଜୋର ଠାରେ ସରକାର ଓ ବିଶ୍ୱବ୍ୟାଙ୍କ୍‍ର ମିଳିତ ସହାୟତାରେ ବିଶାଳ ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ନଡ଼ିଆ ଚାଷ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ମାତ୍ର ଏହି ପ୍ରକଳ୍ପ ବିଫଳ ହୋଇଥିଲା। ପୁନଶ୍ଚ ୧୯୯୪ରେ ସେହି ସ୍ଥାନରେ ବିଶ୍ୱବ୍ୟାଙ୍କ୍‍ ସହାୟତାରେ ବାକି ଥିବା ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ଚିଙ୍ଗୁଡ଼ି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ହେଲେ ଅଳ୍ପ କିଛି ବର୍ଷ ପରେ ଏହି ପ୍ରକଳ୍ପ ମଧ୍ୟ ବିଫଳ ହୋଇଥିଲା। ଆଜି ପର୍ଯ୍ୟନ୍ତ ଉକ୍ତ ଦୁଇଟି ପ୍ରକଳ୍ପର ବିଫଳତା ସଂପର୍କରେ କୌଣସି ସମୀକ୍ଷା ହୋଇନାହିଁ। ସଂପ୍ରତି ଜିଲ୍ଲାରେ ରାସ୍ତାଘାଟ ସମସ୍ୟା ଗମ୍ଭୀର ରହିଛି। ଆଜି ମଧ୍ୟ ବିଭିନ୍ନ ଗାଁ, ପଞ୍ଚାୟତ ଓ ବ୍ଲକ୍‍ ସଦର ମହକୁମା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି। ବହୁ ରାସ୍ତା କିଛି ବର୍ଷ ତଳୁ ମରାମତି ହୋଇନାହିଁ। ୩୦ ରୁ ଊର୍ଦ୍ଧ୍ବ ନିର୍ମାଣାଧିନ ନଦୀ ସେତୁ ଦୀର୍ଘ ବର୍ଷ ତଳୁ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଏପରିକି ୧୮ ବର୍ଷ ତଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ମହାକାଳପଡ଼ା ବ୍ଲକ୍‍ର ବଡ଼ିହି ଓ ବିଜୟନଗର ନଦୀ ସେତୁ ୧୫ ବର୍ଷ ତଳୁ ବନ୍ଦ୍‍ ରହିଛି। ଯଦ୍ୱାରା ଉକ୍ତ ବ୍ଲକ୍‍ର ଗୋଗୁଆ, ବଡ଼ିହି, ବଳିପାଳ, ଦେଉଳିପଡ଼ା, ବିଜୟନଗର ଆଦି ୧୦ଟି ପଞ୍ଚାୟତର ହଜାର ହଜାର ଲୋକେ ନିଜ ବ୍ଲକ୍‍ ସଦର ମହକୁମାରେ ପହଞ୍ଚିବାରେ ନାନା ଅସୁବିଧାର ସନ୍ମୁଖିନ ହେଉଛନ୍ତି।
ସମୁଦ୍ର ତଟ୍ଟବର୍ତ୍ତୀ ଗାଁ ଗୁଡ଼ିକର ଅବସ୍ଥା ଭାରି ସାଂଘାତିକ। ଇତି ମଧ୍ୟରେ ଅନେକ ଗାଁ ସମୁଦ୍ର ଓ ନଦୀର ମହାପ୍ଲାବନରେ ମିଳେଇ ଯାଇଛି। ସାତଭାୟା ଭଳି କେତେକ ଗାଁ କେଉଁ ମୁହୂର୍ତ୍ତରେ ସମୁଦ୍ରର ମହାପ୍ଲାବନରେ ଲୀନ ହୋଇଯିବ, ତାହା ଭଗବାନଙ୍କୁ ଜଣା। ଲୁଣା ଘେରିବନ୍ଧ ଖୁବ୍‍ ଦୁର୍ବଳ ଥିବାରୁ ସମୁଦ୍ରରୁ ଲୁଣାପାଣି ଆସି ଭେଡ଼ା ଭିତରେ ପଶୁଛି ଓ ଅକାଳରେ ଫସଲ ହାନୀ ହେଉଛି। ସେହିପରି ବନ୍ୟା ଘେରିବନ୍ଧ ଅତି ଦୁର୍ବଳ ଯୋଗୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକେ ବନ୍ୟା ପୀଡ଼ିତ ହୋଇ ସର୍ବସ୍ୱାନ୍ତ ହେଉଛନ୍ତି ଓ ଅନେକ ଧନ-ଜୀବନ ନଷ୍ଟ ହେଉଛି। ଜଳସେଚନ ବ୍ୟବସ୍ଥା ଜିଲ୍ଲାବାସୀଙ୍କ ପାଇଁ ଯେମିତି ସ୍ୱପ୍ନ ହୋଇଛି। କେତେକ ଅଞ୍ଚଳରେ ଅନେକ ବର୍ଷ ତଳେ କେନାଲ୍‍ ଖୋଳା କାମ ଆରମ୍ଭ ହୋଇ ଆଜି ମଧ୍ୟ ତାହା ଅଧାପନ୍ତରିଆ ଭାବେ ପଡ଼ିରହିଛି।
ସେହିପରି ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତି ଅଭାବରୁ ଅବହେଳିତ ବିଶ୍ୱବିଖ୍ୟାତ ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ହେନ୍ତାଳ ଜଙ୍ଗଲ, ଡ଼ାଙ୍ଗମାଳ କୂମ୍ଭୀର ପ୍ରଜନନ କେନ୍ଦ୍ର, ବତୀଘର, ବ୍ରିଟିସ୍‍ ବାଣିଜ୍ୟର କୋଠାଘର ହୁକିଟେଲା ଓ ବରୁଣେଇ ଜଙ୍ଗଲ ଆଦିର ବିକାଶ ସ୍ୱପ୍ନ ହୋଇ ରହିଛି। ଏସବୁକୁ ଏଯାଏ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳି ପାରିନାହିଁ। କ୍ରମେ ଏହି ଜିଲ୍ଲା ଅବହେଳାର ଚରମ ସୀମାକୁ ଟପିଗଲାଣି। ଏଠାରେ ବହୁ ସୁଯୋଗ ରହିଥିଲେ ହେଁ ତାହାର ଉପଯୁକ୍ତ ଉପଯୋଗ ହୋଇ ପାରୁନାହିଁ। ପ୍ରଚୁର ମନୋରମ ପ୍ରାକୃତିକ ସଂପଦ, ମତ୍ସ୍ୟ ସଂପଦ, ବନ୍ୟପ୍ରାଣୀ ସଂପଦ, ପର୍ଯ୍ୟଟନ ସଂପଦ ଓ ବନ୍ଦର ସୁଯୋଗ ଭଳି ଅନେକ ଦୁର୍ଲଭ ସଂପଦ ଭରପୂର ହୋଇ ରହିଛି ଏହି ଜିଲ୍ଲାରେ। ଜିଲ୍ଲାରେ ଥିବା ପ୍ରଚୁର ପର୍ଯ୍ୟଟନ ଶିଳ୍ପର ସୁଯୋଗକୁ ଉପଯୋଗର ଆବଶ୍ୟକତା ରହିଛି। ମାତ୍ର ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାଁନ୍ତି। ଏସବୁର ଉପଯୁକ୍ତ ଉପଯୋଗ ହେଲେ,, ଜିଲ୍ଲାର ଆର୍ଥିକ ବିକାଶ ହେବା ସହ ଓଡ଼ିଶା ସରକାର ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଇ ପାରନ୍ତେ।
ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଥନୈତିକ ପ୍ରଗତିର ଚାବିକାଠି କେଉଁଠି ରହିଛି, ସେସଂପର୍କରେ ବ୍ୟାପକ ସମୀକ୍ଷାର ଆବଶ୍ୟକତା ରହିଛି। ବିଶେଷ କରି କେନ୍ଦ୍ରାପଡ଼ାର ଭାଗ୍ୟ ଓ ଭବିଷ୍ୟତ ପାଞ୍ଚ ଜଣ ବିଧାୟକ ଓ ସାଂସଦଙ୍କ ଇଚ୍ଛା ଶକ୍ତି ଉପରେ ନିର୍ଭର କରୁଛି। ସେମାନଙ୍କୁ କେନ୍ଦ୍ରାପଡ଼ା ବାସୀ ନିଜର ଅକୁଣ୍ଠିତ ସମର୍ଥନ ଦେଇ ସେମାନଙ୍କ ଦ୍ୱାରା ଜିଲ୍ଲାର ବିକାଶ ଆଶା ରଖିଛନ୍ତି। ମାତ୍ର ବିଧାୟକ ଓ ସାଂସଦ ନିଜ ପ୍ରତିଶ୍ରୂତି ମୁତାବକ କାର୍ଯ୍ୟ କରୁଥିବା ଦେଖାଯାଉନାହିଁ। ସେହିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ପ୍ରାୟ ୮ବର୍ଷ କାର୍ଯ୍ୟକାଳ ଭିତରେ ନିଜ ଭାଷଣ ପ୍ରତିଶ୍ରୂତି ମୁତାବକ ୧ଭାଗ କାର୍ଯ୍ୟ ବି କରି ନଥିବା କୁହାଯାଉଛି। ୨୦୧୪ରେ ନିର୍ବାଚିତ ବିଧାୟକ ମାନଙ୍କ କାର୍ଯ୍ୟ ଆଦୌ ସନ୍ତୋଷ ଜନକ ନଥିଲା ବୋଲି ଚର୍ଚ୍ଚା ହେଉଛି। କେବଳ ମୁଖ୍ୟମନ୍ତ୍ରୀଙ୍କ ସମ୍ମତିରେ ମୋହର ମାରିବା ଭଳି ଲୋକେ ସେମାନଙ୍କୁ ଭୋଟ ବେଳେ ନିଜ ସମର୍ଥନ ଦେଇ ଆସୁଛନ୍ତି। ହେଲେ ଲୋକମାନଙ୍କ ସୁବିଧା-ଅସୁବିଧା ବା ସୁଖ-ଦୁଃଖରେ ସେମାନେ ଛିଡ଼ା ହୁଅନ୍ତି ନାହିଁ, କେବଳ ନିଜ କିଛି କର୍ମୀଙ୍କ ଛଡ଼ା। ସାଧାରଣ ଲୋକେ ନିଜର ବିଧାୟକ ବା ସାଂସଦଙ୍କୁ ଦେଖା ବି କରି ପାରନ୍ତି ନାହିଁ। ଚିଠିଟିଏ ଦେଲେ ଉତ୍ତର ବି ମିଳେନି। ତେବେ ତୃଣମୂଳ ସ୍ତରରେ ଲୋକଙ୍କ ସେବା କରି, ଲୋକଙ୍କ ସୁଖ-ଦୁଃଖରେ ଏକାକାର ହୋଇ ନେତା ପାଲଟି ଥିବା ବ୍ୟକ୍ତି ହିଁ ବାସ୍ତବ କ୍ଷେତ୍ରରେ ଲୋକପ୍ରତିନିଧି ହେବାକୁ ଯୋଗ୍ୟ ହୋଇଥାଏ। ମାତ୍ର ଆଜିର ନେତାମାନେ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ଥିବାରୁ ସେମାନେ ଲୋକଙ୍କ ସହିତ ମିଶିବାକୁ ପସନ୍ଦ କରନ୍ତି ନାହିଁ ବୋଲି ହାଟ-ବଜାରରେ ଆଲୋଚନା ଚାଲିଛି। କେନ୍ଦ୍ରାପଡ଼ାର ବିକାଶ ପାଇଁ ସାଂସଦଙ୍କ ସମେତ ବିଧାୟକ ମାନେ ନିଜର ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ କରିବାର ସମୟ ଆସିଛି। ବିକଶିତ କେନ୍ଦ୍ରାପଡ଼ା ଗଠନ କରିବାକୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଦଳ ମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବାକୁ ବୁଦ୍ଧିଜୀବୀମାନେ ଆହ୍ୱାନ ଦେଉଛନ୍ତି।

Show More

Related Articles

Back to top button