ଭାଷା ଓ ସାହିତ୍ୟ

ଭାଷାଟିଏ ଥିଲା ବୋଲି-ଜାଗାଟିଏ ପାଇଲେ

< ହିମାଂଶୁ ଶେଖର ଆଚାର୍ଯ୍ୟ>

ଭାଷାଟିଏ ଥିଲା ବୋଲି ଆମେ ଜାଗାଟିଏ ପାଇଲେ। ଭାଷା ହେଲା ଓଡିଆ, ଜାଗା ହେଲା ଓଡ଼ିିଶା କୁହାଯାଏ। ଦୁଇ ଦୁଇ ଥର ସରକାରୀ ଉଦ୍ୟମ ପରେ ବି ଓଡିଆ ଭାଷା ରାଜଭାଷା ହୋଇପାରିନଥିଲା। ଦୀର୍ଘ ୬୨ବର୍ଷ ପ୍ରତୀକ୍ଷାର ଅବସାନ ଘଟିଲା ୨୦୧୬ ମସିହା ମେ ୨୧ ତାରିଖରେ ଯେଉଁଦିନ ସରକାରୀ ସ୍ତରରେ ସବୁକାମ ଓଡିଆରେ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତି ହୋଇଥିଲା। ଏଥିନିମନ୍ତେ ଓଡିଶା ସରକାରୀ ଭାଷା ଅଧିନିୟମ-୧୯୫୪ରେ ସଂଶୋଧନ କରାଯାଇ ୨୦୧୬ ଅଗଷ୍ଟ ୧୬ ତାରଖରୁ ସଂଶୋଧିତ ଆଇନ କାର୍ଯ୍ୟକାରୀ କରାଯିବା ସହ ଭାଷା ସୁରକ୍ଷା ଓ ସମୃଦ୍ଧି ଲାଗି ସରକାର ୬ ସୂତ୍ରୀ ସଂକଳ୍ପ ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୮ ମସିହା ଏପ୍ରିଲ ପହିଲା ଉତ୍କଳ ଦିବସରୁ ସାରା ରାଜ୍ୟରେ ଓଡିଆ ଭାଷାରେ ସବୁ ସରକାରୀ କାର୍ଯ୍ୟକ୍ରମ ହେବ ବୋଲି ଗତ ୨୦୧୭ ମସିହା ଡିସେମ୍ବର ୨୬ ତାରିଖରେ ପୁରୀ ଠାରେ ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବ୍ୟଠକରେ ଗୁରୁତ୍ୱ ପୁର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସେତେବେଳେ ସରକାରଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଥିଲା।
ମାତୃଭାଷା ମା’ର ଭାଷା – ପ୍ରାଣର ଭାଷା। ମାତୃଭାଷା ସହିତ ପ୍ରତ୍ୟେକ ମଣିଷର ନାଡିର ସମ୍ପର୍କ ରହିଛି। ଏଣୁ ମାତୃଭାଷାର ପ୍ରସାର ଓ ପ୍ରଚାର ସ୍ନେହ, ଶ୍ରଦ୍ଧା ଓ ସଂପ୍ରୀତିର ବାତାବରଣ ସୃଷ୍ଟି କରିଥାଏ। ସମୀକ୍ଷକମାନଙ୍କ ମତରେ ଏବେ ବିଶ୍ୱରେ ପ୍ରାୟ ୬ ରୁ ୭ ହଜାର ଭାଷା ରହିଛି। କିନ୍ତୁ ଆଗାମୀ ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ହୁଏତ ଏଥିରୁ ୯୦ ଭାଗ ଭାଷାର ଅସ୍ତିତ୍ୱ ଲୋପ ପାଇବ। କାରଣ ଅଧୁନା ବିଶ୍ୱର ଶତକଡା ୯୫ ଭାଗ ଲୋକ ମାତ୍ର ୧୦୦ଟି ଭାଷାରେ କଥାବାର୍ତ୍ତା ହେଉଛନ୍ତି। ଆହୁରି ଆଶ୍ଚର୍ଯ୍ୟର କଥା ଯେ ବିଶ୍ୱରେ ପ୍ରାୟ ଅର୍ଦ୍ଧେକ ଲୋକ ମାତ୍ର ୮ଟି ଭାଷାରେ କଥାବାର୍ତ୍ତା ହେଉଛନ୍ତି ଯଥା – ଚୀନ, ସ୍ପେନିଶ୍‍,ଇଂରାଜୀ, ହିନ୍ଦି,ରୁଷ୍‍, ବଙ୍ଗଳା, ଆରବୀ ଓ ପର୍ତ୍ତୃଗୀଜ। ଏପରିସ୍ଥଳେ ଭାଷାର ସୁରକ୍ଷା ପାଇଁ ପ୍ରତ୍ୟେକ ଦେଶ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହି କଥାକୁ ଲକ୍ଷ୍ୟ ରଖି “ୟୁନେସ୍କୋ” ତରଫରୁ ୨୦୦୦ ମସିହାରୁ ଫେବୃଆରୀ ୨୧ ତାରିଖକୁ ଆନ୍ତର୍ଜାତିକ ମାତୃଭାଷା ଦିବସ ରୂପେ ପାଳନ କରାଯାଉଛି। ଉଦ୍ଦେଶ୍ୟ ହେଲା ଭାରତ ପରି ବହୁଭାଷାଭାଷୀ ଦେଶରେ ପ୍ରତ୍ୟେକ ରାଜ୍ୟ ତା’ର ମାତୃଭାଷାକୁ ସମଭାବରେ ସମ୍ମାନ ଦେଲେ ରାଜ୍ୟରାଜ୍ୟ ମଧ୍ୟରେ ତଥା ଦେଶରେ ସ୍ନେହ, ଭାଇଚାରା ଓ ସ୍ୱଦେଶପ୍ରେମ ଜାଗ୍ରତ ହେବ। ଏପରି ହେଲେ ରାଜ୍ୟର ସମୃଦ୍ଧି ହେବ ଓ ସାମଗ୍ରିକ ଭାବେ ଦେଶର ମଧ୍ୟ ସମୃଦ୍ଧି ହେବ। ଅନ୍ୟ ଅର୍ଥରେ କହିଲେ ମାତୃଭାଷାର ଉନ୍ନତିରେ ହିଁ ଜାତିର ଉନ୍ନତି।
୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେବା ଏକ ଐତିହାସିକ ଘଟଣା। ବହୁ ଘାତ ପ୍ରତିଘାତ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ,ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ଉଦ୍ୟମ ଫଳରେ ଓଡିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ୱପ୍ନ ସାକାର ହେଲା। ମାତ୍ର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୩ ବର୍ଷ ପରେ ବି ଦିନକୁ ଦିନ ଆମ ଭାଷାର ଅବକ୍ଷୟ ଘଟୁଛି। ଆମ ଭାଷା ପ୍ରତି ଆମର ମମତା ନାହିଁ, ନାହିଁ ମଧ୍ୟ ଆନ୍ତରିକତା। ଭାଷାର ପ୍ରସାର ପ୍ରଚାର ଦୂରର କଥା, ଓଡିଆ ଭାଷାରେ ପ୍ରକାଶିତ ଦୁର୍ଲଭ ଗ୍ରନ୍ଥ ସବୁ ପଢିବାରେ ଆମର ଆଗ୍ରହ ନାହିଁ। ପତ୍ରପତ୍ରିକା, ନାଟକ, ଉପନ୍ୟାସ, ଗଳ୍ପ ଓ କବିତା କଥା ପଚାରେ କିଏ? ହିନ୍ଦୀ, ବଙ୍ଗଳା, ଇଂରାଜୀ ପତ୍ରପତ୍ରିକା ପ୍ରେମରେ ଆମେ ପଡିଯାଇଛୁ। ଅଥଚ ଓଡିଆ ସାହିତ୍ୟ ଭାରତବର୍ଷର ଅନ୍ୟତମ ପ୍ରାଚୀନ ସାହିତ୍ୟ। ଏ ମାଟିର କବି ସାରଳା ଦାସ ମହାଭାରତ ଲେଖି ବେଦବ୍ୟାସ ପାଲଟି ଯାଇଛନ୍ତି। କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, ଦୀନକୃଷ୍ଣ, ଅଭିମନ୍ୟୁ, ବଳରାମ ଦାସଙ୍କ ସୃଷ୍ଟି ସମ୍ଭାର ଭାରତୀୟ ଭାଷା ସାହିତ୍ୟରେ ଦୁର୍ଲଭ। ଏମାନେ ହିଁ ଓଡିଆ ସାହିତ୍ୟର ରକ୍ଷାକାରୀ। କଥା ସମ୍ରାଟ ଫକୀରମୋହନ, କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ପଦ୍ମଭୂଷଣ ଗୋପୀନାଥ ମହାନ୍ତି, ସ୍ୱଭାବ କବି ଗଂଗାଧର ମେହେରଙ୍କ ସୃଷ୍ଟି ସମ୍ଭାର ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି, ଏହା ଅନସ୍ୱୀକାର୍ଯ୍ୟ।
ଏସବୁ ସତ୍ତେ୍ୱ ଆଧୁନିକ ଭାରତରେ ଅନ୍ୟାନ୍ୟ ରାଜ୍ୟ ଓ ଭାଷା ତୁଳନାରେ ଆମ ଭାଷାର ପ୍ରଚାର ଓ ପ୍ରସାର ଆଶାନୁରୂପ ହୋଇପାରିନାହିଁ। ଏହାର ମୂଳ କାରଣ ହେଉଛି ଏ ପର୍ଯ୍ୟନ୍ତ ଓଡିଆ ଭାଷା ସମ୍ପୂର୍ଣ୍ଣ ଭାବେ ସରକାରୀ ଭାଷାର ପୂର୍ଣ୍ଣ ମାନ୍ୟତା ପାଇନଥିଲା। ୧୯୫୪ ମସିହାରେ ସ୍ୱର୍ଗତ୍‍ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଅଧିନିୟମ ପ୍ରଣୟନ କରିଥିଲେ। ଏଥିପାଇଁ ଶବ୍ଦକୋଷ ସଙ୍କଳନ କରାଯାଇଥିଲା। ମାତ୍ର ତାହା ଅଧାପନ୍ତରିଆ ହୋଇ ରହିଗଲା। ପୁନଶ୍ଚ ୧୯୮୫ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଓଡିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବାପାଇଁ ପୁଣିଥରେ ନିଷ୍ପତି ଗ୍ରହଣ କରିଥିଲେ। ଏଥିପାଇଁ ଅବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯାଇଥିଲା। ଏପରିକି ଓଡିଆ ଟାଇପ୍‍ ମେସିନ୍‍ କିଣାଯାଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଥିଲା। କିନ୍ତୁ ଆନ୍ତରିକତା ଓ ଇଚ୍ଛାଶକ୍ତି ଅଭାବରୁ ତାହା ମଧ୍ୟ ଆଗେଇପାରିଲା ନାହିଁ। ୨୦୧୧ ମସିହାରେ “ଓରିଆ କୁ ଓଡିଆ” ଓ “ଓରିଶାକୁ ଓଡିଶା” ହେଲାପରେ ଆମେ ଆମର ସ୍ୱାଭିମାନ ଫେରିପାଇଛୁ। ଇତି ମଧ୍ୟରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଓଡିଆ ହେଉଛି ଷଷ୍ଠ ଭାରତୀୟ ଭାଷା ଓ ପ୍ରଥମ ଆର୍ଯ୍ୟ ଭାଷା। ଏ ଦିଗରେ କାର୍ଯ୍ୟ କରିଥିବା ଭାଷାବିତ୍‍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ଅନ୍ୟମାନଙ୍କ ସମେତ ରାଜ୍ୟ ସରକାର ବେଶ୍‍ ପ୍ରଶଂସାର ପାତ୍ର। ଶାସ୍ତ୍ରୀୟ ମାନ୍ୟତା ଖୁସିରେ ଆମେ ବାଣ ଫୁଟାଇ, ଭୋଜିଭାତ ଖାଇ ମଉଜ କଲୁ ସତ, ହେଲେ ଇଂରାଜୀ କୈନ୍ଦ୍ରିକ ଅପସଂସ୍କୃତିକୁ ଆମେ ଛାଡିପାରିନାହୁଁ।
ଏକ ତଥ୍ୟ ମୁତାବକ, ସମଗ୍ର ଓଡିଶାରେ ୫୮ ପ୍ରକାର କଥିତ ଭାଷା ପ୍ରଚଳିତ ଅଛି। ତେବେ ଓଡିଶାରେ ଓଡିଆ ଭାଷା ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ। ରାଜ୍ୟର ପ୍ରାନ୍ତୀୟକ୍ଷେତ୍ର ପଶ୍ଚିମ ଓଡିଶାରେ ସମ୍ବଲପୁରୀ (କୋଶଳି) ଓ ମିଶ୍ର ହିନ୍ଦୀ ଭାଷା, ଦକ୍ଷିଣ ଓଡିଶାରେ ବ୍ରହ୍ମପୁରୀ ଓ ମିଶ୍ର ତେଲଗୁ ଭାଷା, ଉତ୍ତର ଓଡିଶାରେ ମିଶ୍ର ବଙ୍ଗଳା ଭାଷାର ପ୍ରଚଳନ ଦେଖାଯାଏ। ରାଜ୍ୟରେ ଥିବା ଆଦିବାସୀମାନଙ୍କର ନିଜସ୍ୱ ଭାଷା ଯଥା – ସାନ୍ତାଳି, ମୁଣ୍ଡା, କନ୍ଧ, କୋୟା, ବଣ୍ଡା ଇତ୍ୟାଦି ରହିଛି। ଏତଦ୍‍ବ୍ୟତୀତ ଅନ୍ୟାନ୍ୟ ଭାଷା ମଧ୍ୟରେ ଅସମୀୟ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ ଆଦି ଭାଷା ମଧ୍ୟ ବ୍ୟବହୃତ ହୁଏ। ପରିବର୍ତ୍ତିତ ପରିସ୍ଥିତିରେ ଭାଷାର ପ୍ରସାର ପ୍ରଚାର ତ ଦୂରର କଥା ଓଡିଆ ଭାଷାରେ କଥାବାର୍ତ୍ତା ହେଉଥିବା ଲୋକଙ୍କ ସଂଖ୍ୟା ବେଳକୁ ବେଳ କମିବାରେ ଲାଗିଛି। ମା’ର ଭାଷା, ମାଟିର ଭାଷା ଆମପାଇଁ ଅଲୋଡା ହୋଇଯାଇଛି। ମାହାତ୍ମାଗାନ୍ଧୀ କହିଥିଲେ, “ଜଣେ ଭାରତବାସୀ ନିଜ ମାତୃଭାଷା ଭୁଲିଯିବା, ଅବହେଳା କରିବା ବା ନିଜର ମାତୃଭାଷା ବ୍ୟବହାର କରୁଛି ବୋଲି ଲଜ୍ଜା ଅନୁଭବ କରିବା, ନିଜ ମାତୃଭାଷାରେ ଶ୍ରେଷ୍ଠ ଚିନ୍ତା ପ୍ରକାଶ କରିବାକୁ ଅସମର୍ଥ ହେବା ଏକଥା ମୁଁ ସେମାନଙ୍କୁ ଅନୁଭବ କରିବାକୁ ଦେବିନାହିଁ”। ଜାପାନ ଓ ଚୀନ ଦେଶରେ ମାତୃଭାଷାରେ ସବୁକାର୍ଯ୍ୟ ଚାଲିଛି। ସେହି ଦୁଇଦେଶ ଆଜି ବିଜ୍ଞାନ, ଅର୍ଥ, ପ୍ରଯୁକ୍ତି ବିଦ୍ୟା, ସାହିତ୍ୟ ସବୁଦିଗରେ ବିଶ୍ୱ ଦରବାରରେ ନିଜକୁ ପ୍ରତିଷ୍ଠା କରିସାରିଲେଣି। ସେମାନଙ୍କ ଠାରୁ ଆମକୁ ବହୁତ କିଛି ଶିଖିବାର ଅଛି।
ଭାଷା କେବଳ ସରକାରୀ ହୋଇଗଲେ ବଞ୍ଚିଯିବ ଏହା ଭବିବା ଭୁଲ୍‍। ଭାଷା ପ୍ରତି ଆମ ହୃଦୟରେ ଦରଦ ରହିଲେ ହିଁ ଏହା ବଞ୍ôଚବ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ଠିକ୍‍ ଭାବେ କହିପାରନ୍ତି ନାହିଁ।ଓଡିଆରେ ଭାଷଣ ମଧ୍ୟ ଠିକଣା ଭାବରେ ଦେଇପାରନ୍ତି ନାହିଁ।ଏଇ କାରଣରୁ ସେ ସମାଲୋଚିତ। କିନ୍ତୁ ତାଙ୍କରି ସମୟରେ ହିଁ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା।ଆଗକୁ ଓଡିଆ ଭାଷାର ପ୍ରଚାର,ପ୍ରସାର ଏବଂ ପାଠକଙ୍କ ସଖ୍ୟାଂ ବଢାଇବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି।ଏଥିରୁ ଆମ ଭାଷା ପ୍ରତି ତାଙ୍କର ଦରଦର ଅଭାବ ରହିଛି ବୋଲି କହିହବନି।ସବୁଠୁ ବଡକଥା ହେଉଛି ଆମ ଭିତରେ ଥିବା ହୀନମନ୍ୟତାକୁ ଦୂର କରିବାକୁ ହେବ।ଅନ୍ୟ ଭାଷା ଶିଖିବାକୁ ମନାନାହିଁ, କିନ୍ତୁ ଆମକୁ ପ୍ରଥମେ ଆମ ମାତୃଭାଷା ଶିଖିବା ସହିତ ଆମ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଚିହ୍ନିବାକୁ ହେବ।ଏ ବିଷୟରେ ଗଭୀର ଭାବେ ଅନୁଶୀଳନ କରିବାର ଅଛି।

ସଭାପତି
ସାରସ୍ୱତ ପରିଷଦ,ଜଗତସିଂହପୁର
ମୋ – ୯୯୩୭୧୫୧୦୫୨

Show More

Related Articles

Back to top button