ଭାଷା ଓ ସାହିତ୍ୟ

ଶିକ୍ଷାନୁଷ୍ଠାନରେ ସୁରକ୍ଷା

ସୌ÷ମେନ୍ଦ୍ର ଜେନା
ଆମ ରାଜ୍ୟରେ ଅନେକ ବଡ ବଡ ଏବଂ ବହୁତଳ ବିଶିଷ୍ଟ ଶିକ୍ଷାନୁଷ୍ଠାନମାନ ଖୋଲିବାରେ ଲାଗିଛି। ଯେଉଁଠି ଗୋଟିଏ କ୍ୟାମ୍ପସ ମଧ୍ୟରେ ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ସେମାନଙ୍କଠାରୁ ନାମଲେଖା ବେଳେ ଏସବୁ ଅନୁଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ହେଁ ଛାତ୍ରଛାତ୍ରୀଙ୍କ ଜୀବନରକ୍ଷା ନେଇ ଯେପରି ସୁରକ୍ଷା ବ୍ୟବସ୍ଥା କରିବା ତାହା କରୁନାହାନ୍ତି। ବଡ ବଡ ସ୍କୁଲ ଓ କଲେଜଗୁଡିକରେ ଆଜି ସୁରକ୍ଷା ବ୍ୟବସ୍ଥା କହିଲେ କେବଳ ଗେଟରେ ଥିବା ଜଗୁଆଳୀକୁ ବୁଝାଉଛି। କିନ୍ତୁ ଦୁର୍ଘଟଣା ସମୟରେ ଯେପରି ଶ୍ରେଣୀଗୃହ ଏବଂ ସ୍କୁଲ ଓ କଲେଜ ମଧ୍ୟରୁ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ସେ ନେଇ କିଛି ବ୍ୟବସ୍ଥା ସେମାନେ ରଖିନାହାନ୍ତି। ଏହିସବୁ ଦୁର୍ଘଟଣା ମଧ୍ୟରୁ ଅଗ୍ନିକାଣ୍ଡଜନିତ ଘଟଣାରେ ପିଲାଙ୍କୁ ଯେପରି ଉଦ୍ଧାର କରାଯିବ ଏବଂ ତୁରନ୍ତ ଅଗ୍ନି ନିର୍ବାପିତ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟରଗୃହ ବିଭାଗ ତରଫରୁ ଏବେ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦିଆଯାଉଛି। କିଛିମାସ ପୂର୍ବେ ରାଜସ୍ଥାନର ଶିକ୍ଷାନଗରୀ କୋଟାଠାରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁଲାଗିବା ଯୋଗୁ ଅନେକ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଥିଲେ। ଏହି ଘଟଣାପରେ ରାଜ୍ୟର ଅଗ୍ନିଶମ ବିଭାଗ ପକ୍ଷରୁ କେତେକ ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ନଥିବା ଯାଞ୍ଚ କାଳରେ ଜାଣିପାରିଥିଲେ। ଯେଉଁଥିପାଇଁ ଶିକ୍ଷାନୁଷ୍ଠାନରେ ଏହି ବ୍ୟବସ୍ଥା ରଖାଯିବା ଜରୁରୀ ବୋଲି ବିଭାଗ ତରଫରୁ ଉଲ୍ଲେଖ କରାଯାଇ ନିର୍ଦ୍ଦେଶ ଜାରି କରାଯାଇଥିଲା।
ନିକଟରେ ଉଚ୍ଚଶିକ୍ଷା, ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅଧିକାରୀଙ୍କୁ ନେଇ ଯେଉଁ ବୈଠକ ବସିଥିଲା ସେଥିରେ ବିଭାଗଗୁଡିକର ଅଧୀନରେ ଥିବା ସରକାରୀ ଶିକ୍ଷାନୁଷ୍ଠାନଗୁଡିକର ଡାଟାବେସ୍‍ ଜରିଆରେ ଅଗ୍ନିନିର୍ବାପକ ବ୍ୟବସ୍ଥାର ତଥ୍ୟ ରଖିବାକୁ ନିଷ୍ପତ୍ତି ହୋଇଛି। ତେବେ ସବୁ ଶିକ୍ଷାନୁଷ୍ଠାନ ଅଗ୍ନିଶମ ବିଭାଗର ନିୟମ ଅନୁୟାୟୀ ପ୍ରମାଣପତ୍ର ପାଇଁ ଆବେଦନ କରିବେ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ଅଟ୍ଟାଳିକାର ଆକାର ଅନୁସାରେ ଅଗ୍ନି ନିର୍ବାପକ ସରଞ୍ଜାମ ରଖିବାକୁ ହେବ। ଏସବୁ ଯେପରି ଠିକଣା ରୂପେ ହୁଏ ସେଥିପ୍ରତି ବିଭାଗଗୁଡିକ ଧ୍ୟାନ ଦେବେ। ଆଗାମୀ ଦିନରେ ଅନ୍ୟ ବିଭାଗଗୁଡିକୁ ଏ ସମ୍ବନ୍ଧରେ ମଧ୍ୟ କୁହାଯିବ। କାରଣ ବିଗତ ଦିନଗୁଡିକରେ ରେଭେନ୍‍ସା, ଉତ୍କଳ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଗବେଷଣାଗାରରେ ଅଗ୍ନିକାଣ୍ଡ ଘଟିଥିଲା। ସବୁଠୁ ବଡ କଥା ହେଉଛି ଯେଉଁ ସବୁ ସରକାରୀ ଶିକ୍ଷାନୁଷ୍ଠାନରେ ଏହି ବ୍ୟବସ୍ଥା ନାହିଁ ତାର ଏକ ତାଲିକା ପ୍ରଥମେ ପ୍ରସ୍ତୁତ ହେବା ଆବଶ୍ୟକ। ଅଗ୍ନିଶମ ବିଭାଗ ପକ୍ଷରୁ ଏସବୁର ଯାଞ୍ଚ ହେବା ଦରକାର। କାରଣ କୌ÷ଣସି ଏକ ଦୁର୍ଘଟଣା ପରେ ହିଁ ଆମ ଦେଶରେ ସଚେତନତାର କଥା ଉଠେ, ବ୍ୟବସ୍ଥାର ପରିବର୍ତ୍ତନ ପାଇଁଦାବି କରାଯାଏ। କିନ୍ତୁ ବ୍ୟବସ୍ଥା ଆଦୌ÷ ନଥିଲା ବେଳେ କେହି ସାଧାରଣ ଅବସ୍ଥାରେ ଏଥିପାଇଁ ଦାବି କରନ୍ତି ନାହିଁ। ତେଣୁ ସରକାର ଏହି ବ୍ୟବସ୍ଥାକୁ କେବଳ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ସୀମିତ ନକରି ସବୁ ବିଦ୍ୟାଳୟରେ ଯେପରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଦୁର୍ଘଟଣା ସମୟରେ କିପରି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ପାରିବ ସେ ନେଇ ଶିକ୍ଷାନୁଷ୍ଠାନର କର୍ମଚାରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ, ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ମଧ୍ୟ ଟ୍ରେନିଂ ଦିଆଯିବା ଆବଶ୍ୟକ। ଯଦି ଏହି ପ୍ରଶିକ୍ଷଣ ଅଗ୍ନିଶମ ବିଭାଗର ଅଧିକାରୀମାନଙ୍କ ଦ୍ୱାରା କରାଯାଏ ତେବେ ତାହା ସବୁଠୁ ଭଲ ହେବ। ପ୍ରତିବର୍ଷ ପ୍ରମାଣପତ୍ରର ନବୀକରଣ ସମୟରେ ପୁରୁଣା ବ୍ୟବସ୍ଥାର ପରିବର୍ତ୍ତନ ହୋଇଛି କି ନାହିଁ ତାହା ଅଗ୍ନିଶମ ବିଭାଗ ଲୋକେ ତଦାରଖ କରିବା ଆବଶ୍ୟକ।
ନିଆଳି ଥାନା ଅନ୍ତର୍ଗତ ବିନିଶପୁୁର ପଞ୍ଚାୟତସ୍ଥିତ ଆମ୍ବାପଡା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ମଧ୍ୟରେ ପିଲାଙ୍କୁ ପାଠ ପଢାଇବା ସମୟରେ ଶିକ୍ଷୟିତ୍ରୀଙ୍କୁ ଜଣେ ମଧ୍ୟବୟସ୍କ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣାରୁ ଶିକ୍ଷାନୁଷ୍ଠାନଗୁଡିକର ଶ୍ରେଣୀଗୃହ ଯେ ସୁରକ୍ଷିତ ନୁହେଁ ତାହା ଆମକୁ ବୁଝିବାକୁ ହେବ। ଏହି ଆକ୍ରମଣ ଘଟଣାରେ ଗୁରୁତର ଆହତ ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲିଙ୍କ ସ୍ଥିତି ଆଦୌ÷ ଭଲ ନଥିଲା। ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟକୁ ପ୍ରବେଶ କରି ପିଲାମାନଙ୍କ ସମ୍ମୁଖରେ ଶିକ୍ଷୟିତ୍ରୀଙ୍କୁ ହାଣି ହତ୍ୟାକରିବା ଉଦ୍ୟମ ଜଣେ ବ୍ୟକ୍ତିର ଅପରାଧ ହୋଇପାରେ,କିନ୍ତୁ ସାନ ପିଲାମାନଙ୍କ ଉପରେ ଏହି ଆକ୍ରମଣର ଘଟଣା ଯେଉଁ ମାନସିକ ଆଘାତ ଦେଇଥିବ ତାହାର ପରିଣାମ ମଧ୍ୟ ଭଲ ହେବନାହିଁ। ତେଣୁ ଶିକ୍ଷୟିତ୍ରୀଙ୍କ ଚିକିତ୍ସା ସହ ପିଲାମାନଙ୍କ ମାନସିକ ଚିିକିତ୍ସା ଏବେ ନିହାତି ଜରୁରୀ। ଏଭଳି ଘଟଣା ରାଜ୍ୟରେ ଯେ ପ୍ରଥମ ଘଟିଲା ତା ନୁହେଁ। ବିଦ୍ୟାଳୟଗୁଡିକରେ ଗ୍ରାମାଞ୍ଚଳର ରାଜନୀତି ପ୍ରବେଶ କରିବା ପରଠାରୁ ଏପ୍ରକାର ସ୍ଥିତି ଦେଖାଦେଇଛି। କେଉଁଠି କେଉଁଠି ମଧ୍ୟାହ୍ନଭୋଜନକୁ ନେଇ, କେଉଁଠି ଅନୁଦାନର ଉପଯୋଗକୁ ନେଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଗ୍ରାମବାସୀ କିମ୍ବା ଅନ୍ୟମାନେ ପ୍ରବେଶକରି ଗୋଳମାଳ କରିବା ଦେଖାଯାଉଛି। ଯାହାଫଳରେ ଶିକ୍ଷାନୁଷ୍ଠାନର କ୍ଷତି ହେଉଛି। ଯେ କେହି ବ୍ୟକ୍ତି ଶିକ୍ଷାନୁଷ୍ଠାନରେ ପ୍ରବେଶ କରି ଇଛାନୁଯାୟୀ କାର୍ଯ୍ୟ କରିବାକୁ ଯେପରି ସାହସ କରୁଛି ତାହା ଠିକ୍‍ ନୁହେଁ। ତେଣୁ ଆଗାମୀ ଦିନରେ ବିଦ୍ୟାଳୟଗୁଡିକରେ ସିସିଟିଭି କ୍ୟାମେରା ସହ ସୁରକ୍ଷାକର୍ମୀମାନଙ୍କୁ ମଧ୍ୟ ନିଯୁକ୍ତି ଦେବା ବିଷୟ ସରକାର ଚିନ୍ତା କରିବା ଆବଶ୍ୟକ। ଏଠାରେ ପ୍ରଶ୍ନ ଉଠେ ଯେ ଅପରାଧୀ ବ୍ୟକ୍ତି ଜଣକ ଯଦି ଶିକ୍ଷୟିତ୍ରୀଙ୍କ ବଦଳରେ ପିଲାମାନଙ୍କ ଉପରେ ଆକ୍ରମଣ କରିଥାନ୍ତା ତେବେ ଅବସ୍ଥା କଣ ହୋଇଥାନ୍ତା।
ପୂର୍ବରୁ ବିଦେଶରେ ଶ୍ରେଣୀଗୃହରେ ବନ୍ଧୁକ ଯୋଗେ ଆକ୍ରମଣ କରାଯିବା ଘଟଣା ଆମେ ଶୁଣିଛୁ। ବିଦ୍ୟାଳୟଗୁଡିକ ଉପରେ ସନ୍ତ୍ରାସବାଦୀଙ୍କ ଆକ୍ରମଣ ରୁଷିଆରୁ ପାକିସ୍ଥାନ ଯାଏଁ ଘଟିଥିବାର ପ୍ରମାଣ ରହିଛି। ସେହିପରି ଏବେ ଆମଦେଶର ନିଆଳିପରି ଏକ ଗ୍ରାମାଞ୍ଚଳର ବିଦ୍ୟାଳୟରେ ଏହି ଆକ୍ରମଣ ଘଟଣାକୁ ସହଜ ଭାବେ ଗ୍ରହଣ କଲେ ହେବନାହିଁ। ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା କରିବା ଆବଶ୍ୟକ। ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ଏପ୍ରକାର ଅପରାଧ ଦେଶରେ ଭବିଷ୍ୟତ ପିଢି ଉପରେ ଆଦୌ÷ ଭଲ ପ୍ରଭାବ ପକାଇବ ନାହିଁ। ତେଣୁ ଶିକ୍ଷାବିଭାଗ ଓ ରାଜ୍ୟ ସରକାର ସରକାରୀ ଶିକ୍ଷାନୁଷ୍ଠାନଗୁଡିକର ସୁରକ୍ଷା ନେଇ ଚିନ୍ତା କରିବାର ବେଳ ଆସିଛି। କାରଣ ନିକଟରେ ଏକ ଖବର ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲା,ଯେଉଁଥିରେ ଏକ ଅଙ୍ଗନୱାଡି କେନ୍ଦ୍ର ଭିତରକୁ ଜଣେ ବ୍ୟକ୍ତି ପ୍ରବେଶ କରି ଜଣେ ଶିଶୁକୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲା। ପିଲାଙ୍କ ଶିକ୍ଷାନୁଷ୍ଠାନ ମଧ୍ୟରେ ଏହା ଗର୍ହିତ ଅପରାଧ ନିଶ୍ଚୟ। ଏଭଳି ଦୁଃସାହସ ଦେଖାଉଥିବା ଲୋକଙ୍କ ପ୍ରତି ସରକାର କଠୋର ହେବା ଦରକାର। ବିଦେଶରେ ଶିକ୍ଷାନୁଷ୍ଠାନରେ ଗୁଳିଚାଳନା ଏକ ସାଧାରଣ ବିଷୟ ହୋଇଗଲାଣି। ଏବେ ଆମଦେଶରେ ଥିବା ଶିକ୍ଷାନୁଷ୍ଠାନରେ ଦୁର୍ଘଟଣା, ବିପର୍ଯ୍ୟୟ ପରିସ୍ଥିତିରେ ବିଦ୍ୟାର୍ଥୀଙ୍କୁ ଉଦ୍ଧାର ପାଇଁ ସବୁଠି ବ୍ୟବସ୍ଥା ରହିବା ଦରକାର। ସରକାର ଶିକ୍ଷାନୁଷ୍ଠାନର ସୁରକ୍ଷା ପାଇଁ ଏସବୁ ବିଷୟ ଉପରେ ଅଧିକ ଦୃଷ୍ଟି ଦେବା ଉଚିତ୍‍।

Show More

Related Articles

Back to top button